Viral

୧୪ବର୍ଷ ଧରି କୋମାରେ ଥିବା ମହିଳା ପୁତ୍ର ସନ୍ତାନ ଜନ୍ମଦେଲେ

ଫଏନିସ୍ : ଆମେରିକାର ଆରିଜନା ପ୍ରଦେଶର ଫଏନିସ୍ ସହର ସ୍ଥିତ ଏକ ହସ୍ପିଟାଲରେ ଏଭଳି ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଚକିତ କରିଛି । ଏହି ହସ୍ପିଟାଲରେ ଦୀର୍ଘ ୧୪ ବର୍ଷ ଧରି ଜଣେ ମହିଳା କୋମାରେ ଥିଲେ । ଏବେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଏତେ ବର୍ଷ ଧରି କୋମାରେ ଥିବା ମହିଳା ଜଣକ କିପରି ସନ୍ତାନ ଜନ୍ମ ଦେଲେ ତାହାକୁ ନେଇ ଏବେ ସମଗ୍ର ସହରରେ ଆଲୋଡନ ଓ ବିସ୍ମୟ ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ସମଗ୍ର ହସ୍ପିଟାଲରେ ନାହିଁ ନଥିବା ପ୍ରତିକ୍ରିୟା ସୃଷ୍ଟି ହୋଇଛି । ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ଏଥିରେ ଚକିତ ହୋଇଛନ୍ତି । ଏହା କିପରି ସମ୍ଭବ ହେଲା ସେନେଇ ସବୁ ମହଲରେ ଚର୍ଚ୍ଚା ହେଉଛି । ଇତି ମଧ୍ୟରେ ଏହି ଘଟଣା ଥାନାକୁ ଯାଇଛି । ଏହା ପଛରେ ସେକ୍ସର ସଂପର୍କ ଥାଇପାରେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ଓ ପୁଲିସ ସନ୍ଦେହ କରୁଛି । ହାସିଏନ୍ଦା ହେଲଥ କେୟାର ହସ୍ପିଟାଲରେ ଏହି ମହିଳା ଜଣକ ଦୀର୍ଘ ୧୪ ବର୍ଷ ଧରି କୋମାରେ ଅଛନ୍ତି । ତେବେ ଡିସେମ୍ବରରେ ସେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ । ଡିସେମ୍ବର ୨୯ ତାରିଖରେ ସେ ଲେବର ୱାର୍ଡକୁ ଯାଇଥିଲେ ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ସ୍ଥାନୀୟ ମିଡିଆରେ ଏହି ଖବର ପ୍ରକାଶିତ ହେବା ପରେ ତାହାକୁ ନେଇ ଏକ ପ୍ରକାର ହଇଚଇ ଖେଳିଯାଇଥିଲା । ମହିଳା ଜଣକ ଗର୍ଭବତୀ ଅଛନ୍ତି ବୋଲି କେହି ବି ଜାଣିନଥିଲେ । ମଝିରେ ମଝିରେ ମହିଳାଙ୍କ ଶରୀରରେ ଯନ୍ତ୍ରଣା ଲକ୍ଷଣ ଦେଖିବାକୁ ମିଳିଥିଲା, କିନ୍ତୁ ହସ୍ପିଟାଲ କର୍ମଚାରୀମାନେ ତାହାକୁ ଏତେ ଗୁରୁତ୍ୱ ଦେଇନଥିଲେ । ଏବେ ଫଏନିସ୍ ପୁଲିସ ଘଟଣାର ତଦନ୍ତ କରୁଛି । ହସ୍ପିଟାଲର କୌଣସି ପୁରୁଷ କର୍ମଚାରୀ ମହିଳାଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କରିଥିବା ସନ୍ଦେହ କରାଯାଉଛି । ଏନେଇ ପୁଲିସ ପୁରୁଷ କର୍ମଚାରୀମାନଙ୍କୁ ପଚରାଉଚରା କରିବେ । ସେମାନଙ୍କ ଡିଏନ୍ଏ ଟେଷ୍ଟ ମଧ୍ୟ କରାଯିବା ଜରୁରୀ ବୋଲି ମହିଳାଙ୍କ ଓକିଲ ତାସାମେନାକର କହିଛନ୍ତି ।

Loading...

Join The Discussion

Loading...