State

ଟ୍ରେନରେ ଲାଗିବ ସିସିଟିଭି କ୍ୟାମେରା

  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର : ଟ୍ରେନରେ ବିଭିନ୍ନ ସାମଗ୍ରୀର ବ୍ୟାପକ ଚୋରା ଚାଲାଣ ହେଉଛି। ବିଶେଷ କରି ଗଞ୍ଜେଇ, ଡ୍ରଗ୍‌ସ ଭଳି ନିଶାଦ୍ରବ୍ୟ ଚାଲାଣ ବୃଦ୍ଧି ପାଉଛି। ଏହାକୁ କିପରି ରୋକାଯାଇ ପାରିବ ସେନେଇ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ ଅଫିସରେ ବୁଧବାର ଅନୁଷ୍ଠିତ ରେଲଓ୍ବେର ୪ର୍ଥ ରାଜ୍ୟସ୍ତରୀୟ ସୁରକ୍ଷା କମିଟି ବୈଠକରେ ଗୁରୁତ୍ୱ ଦିଆଯାଇଛି।

ପୋଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଟ୍ରେନ ଯାତ୍ରୀଙ୍କ ଧନ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ସଂସ୍ଥାପନ ଅତ୍ୟାବଶ୍ୟକ ହୋଇପଡ଼ିଛି। ସେହିପରି ଟ୍ରେନ ଯାତ୍ରୀଙ୍କ ସୁରକ୍ଷା ସହିତ ନିଶାଦ୍ରବ୍ୟ କାରବାର ଉପରେ ନଜର ରଖିବା ପାଇଁ ଜିଆରପି ଏବଂ ଆରପିଏଫ ପୋଲିସକୁ ନେଇ ଏକ ହ୍ବାଟ୍‌ସଆପ ଗ୍ରୁପ ତିଆରି କରାଯିବ। ଏସ୍‌ଆରପି ରାଉରକେଲା ଏବଂ କଟକ ଅଧୀନରେ ଥିବା ଜିଆରପି ଓ ଆରପିଏଫ ପୋଲିସ ଏହି ଗ୍ରୁପରେ ସମସ୍ତ ତଥ୍ୟ ବିଭାଗକୁ ଜଣାଇବେ। ଟ୍ରେନରେ ନିଶାଦ୍ରବ୍ୟ ଚାଲାଣ, ବେଆଇନ ଶିଶୁ ଚାଲାଣ, ଚୋରା ସୁନା ରୁପା ଚାଲାଣ, ଏପରି କି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ତାହା ଉପରେ ନଜର ରଖିବା ସହ ଗୋଇନ୍ଦା ଖବର ବିଭାଗକୁ ଜଣାଇବେ। ସମସ୍ତଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନ ପାଇଁ ଏହି ଗ୍ରୁପ ସହାୟକ ହେବ। ସେହିପରି ଟ୍ରେନରେ କାର୍ଯ୍ୟ କରୁଥିବା ସୁରକ୍ଷାକର୍ମୀଙ୍କୁ ଅଧିକ ସୁରକ୍ଷା ଯୋଗାଇବା ନେଇ ସିୟୁଜି ମୋବାଇଲ ଫୋନ ଯୋଗାଇ ଦିଆଯିବ। ରାଜ୍ୟର ସମସ୍ତ ଷ୍ଟେଶନରେ ଅଧିକ ମାତ୍ରାରେ ସିସିଟିଭି କ୍ୟାମେରା ଲଗାଯିବା ସହ ବ୍ୟାଗେଜ ଏବଂ ସ୍କାନର ସଂଖ୍ୟା ବୃଦ୍ଧି କରାଯିବ। ସେହିପରି ରାତ୍ରି ସମୟରେ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀ ଏବଂ ଶତାବ୍ଦୀ ଟ୍ରେନରେ ସିସିଟିଭି କ୍ୟାମେରା ଲଗାଯିବ। ସମସ୍ତ ଟ୍ରେନରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ରେଲଓ୍ବେ କୋଷ୍ଟାଲ ସିକ୍ୟୁରିଟିର ଅତିରିକ୍ତ ଡିଜିପି ପି. ଆଚାର୍ଯ୍ୟ, ପୂର୍ବତଟ ରେଳପଥର ଆରପିଏଫ ଆଇଜି ଅତୁଲ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Loading...
  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...