State

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନାର ଶୁଭାରମ୍ଭ

  •  
  • 2
  •  
  •  
  •  
  •  
  •  
    2
    Shares

ଭୁବନେଶ୍ୱର: ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ଏହି ଯୋଜନା ଅଧିନରେ ରାଜ୍ୟର ୧୨ଟି ଜିଲ୍ଲାର ୪୦ଟି ବ୍ଲକରେ କ୍ଲଷ୍ଟର ଉତ୍ପାଦନ ଭିତ୍ତିକ ଚାଷ ହେବ । ଢିପ ଜମିରେ ଉଦ୍ୟାନ ଭିତ୍ତିକ କୃଷି ଏହି ଯୋଜନାର ଲକ୍ଷ୍ୟ । ଏଥିରେ ୧ଲକ୍ଷ କ୍ଷୁଦ୍ର ଚାଷୀ ଉପକୃତ ହୋଇପାରିବେ । ଉଲ୍ଲେଖଯୋଗ୍ୟ ଯେ, ଏହି ଯୋଜନାରେ ୧୫୦ ଜଣ ଚାଷୀଙ୍କୁ ନେଇ ଉତ୍ପାଦକ ଗୋଷ୍ଠୀ ଗଠନ କରାଯିବ । ୪୦ ଏକର ପରିମିତ ଜମିରେ ମୁଖ୍ୟତଃ ଉଦ୍ୟାନ କୃଷି ଭିତ୍ତିକ ଫସଲ ଚାଷ କରିବାକୁ ସୁବିଧା ପ୍ରଦାନ କରାଯିବ । ଉତ୍ପାଦକ ଗୋଷ୍ଠୀରୁ ୪ରୁ ୫ ହଜାର ଚାଷୀଙ୍କୁ ନେଇ ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠା କରାଯିବ । କ୍ଲଷ୍ଟର ପାଇଁ ୬୫୦ଟି ଉତ୍ପାଦ ଗୋଷ୍ଠୀ ସହ ୩୦ଟି ଉତ୍ପାଦକ କଂପାନୀ ପ୍ରତିଷ୍ଠା କରାଯିବ ନେଇ ସ୍ଥିର ହୋଇଛି । ଏହା ସହିତ ଗୃହ ପାଳିତ ପଶୁ ପାଳନ ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯିବ । ବିକ୍ରିବଟା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଜାର ପ୍ରଶସ୍ତ ମଧ୍ୟ କରାଯିବ । ୧୬ ହଜାର ଏକର ଚାଷଜମିକୁ ଜଳସେଚିତ ଜମିରେ ପରିଣତ କରାଯିବ । ଏହା ସହ ୮ ହଜାର ଏକର ଜମିରେ ଫଳଚାଷ କରାଯିବ ଏବଂ ୭୦ ହଜାର ଚାଷୀଙ୍କୁ କୃଷି ଯନ୍ତ୍ରପାତ ଯୋଗାଇ ଦିଆଯିବ । ଆହୁରି ମଧ୍ୟ ୩୦ ହଜାର ଚାଷୀଙ୍କୁ ଛେଳି ଓ କୁକୁଡା ପାଳନ ପାଇଁ ଭିତ୍ତିଭୂମି ଯୋଗାଇ ଦିଆଯିବା ନେଇ ସୂଚନା ମିଳିଛି ।
କୃଷି ଉତ୍ପାଦନ କ୍ଲଷ୍ଟର ପାଇଁ ୪୦୧.୬୦ କୋଟି ଟଙ୍କା ଖର୍ଚ୍ଚ ହେବ । ଆବଶ୍ୟକ ଅର୍ଥ ରାଜ୍ୟ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଅଧିନରେ ଥିବା ଓଡିଶା ଜୀବିକା ମିଶନ ୭୦.୦୬ କୋଟି, ଏପିକଲ୍ ୧୭.୮୦ କୋଟି ଓ ଭାରତ ରୁରାଲ ଲାଇଭଲିହୁଡ ଫାଉଣ୍ଡେସନ ଓ ସହଯୋଗୀ ସଂସ୍ଥା ୩୦.୩୪ କୋଟି ଏବଂ ରାଜ୍ୟର କୃଷି ଓ ଆନୁସଙ୍ଗିକ ବିଭାଗ ଗୁଡିକ ୨୯୩.୪୦ କୋଟି ଟଙ୍କା ଯୋଗାଇବେ ।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...