State

କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ

  •  
  •  
  •  
  •  
  •  
  •  
  •  
ପୁରୀ : ଆଜି ଥିଲା ଧର୍ମମାସ କାର୍ତ୍ତିକ ମାସର ପ୍ରଥମ ସୋମବାର । ଏଇଥି ପାଇଁ ଆଜି ଶ୍ରୀମନ୍ଦିରରେ ପ୍ରବଳ ଜନସମାଗମ ହୋଇଥିବା ଦେଖିବାକୁ ମିଳୁଥିଲା ।। ରବିବାର ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା ଅସମ୍ଭାଳ ଭିଡ଼। କେତେକ ସ୍ଥାନରେ ଠେଲାପେଲା ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ଭିତରେ ଅଣନିଃଶ୍ୱାସୀ ହୋଇପଡୁଥିଲେ ଭକ୍ତ ଓ ହବିଷିଆଳି। ପରିଣତ ବୟସର ଏହି ହବିଷିଆଳିମାନେ ଠାକୁରଙ୍କୁ ଦର୍ଶନ କରିବା ଏକପ୍ରକାର ଅସମ୍ଭବ ହୋଇପଡିଥିଲା। ଠେଲାପେଲା ଓ ଭିଡ଼କୁ ଡରି ଅନେକ ବ୍ରତଧାରୀ ମହାପ୍ରଭୁଙ୍କୁ ଦର୍ଶନ କରି ନ ପାରି ଅସନ୍ତୋଷରେ ଫେରି ଆସିଥିଲେ।
ଦ୍ୱାର ଖୋଲାଯିବା ପୂର୍ବରୁ ବ୍ୟାରିକେଡ୍‌ରୁ ଭକ୍ତ ଏବଂ ହବିଷିଆଳିଙ୍କ ଧାଡ଼ି ବହୁ ଦୂରକୁ ଲମ୍ବିଥିଲା। ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ ଲାଗି ସମସ୍ତେ ଭିତରକୁ ପଶିଥିଲେ। ଫଳରେ ସାତପାହଚ ନିକଟରେ ଦଳାଚକଟା ସ୍ଥିତି ଉପୁଜିଥିଲା। ଭିତରେ ବି ସୃଷ୍ଟି ହୋଇଥିଲା ପ୍ରବଳ ଗହଳି। ନିୟନ୍ତ୍ରଣ ପାଇଁ ମୁତୟନ ଥିବା ପୋଲିସ କର୍ମଚାରୀ ବି ଅସହାୟ ହୋଇପଡିଥିବା ଦେଖିବାକୁ ମିଳିଥିଲା।
ନିମାପଡ଼ା ଦିଘାଳୋରୁ ଆସିଥିବା ହବିଷିଆଳି ପ୍ରତିଭା ସ୍ବାଇଁ କହିଛନ୍ତି, ରହିବା ଓ ଖାଇବା ଆମ ପାଇଁ ବଡ଼ କଥା ନୁହେଁ। କାଳିଆ ଠାକୁରଙ୍କୁ ଟିକେ ଆଖିପୂରେଇ ଦର୍ଶନ କରିଦେଲେ ତାହା ଆମ ପାଇଁ ଯଥେଷ୍ଟ। ଘରେ ରହି ବି ହବିଷ କରିପାରିଥାନ୍ତୁ। ହେଲେ କାର୍ତ୍ତିକ ମାସରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଏଠାକୁ ଧାଇଁ ଆସିଛୁ। କିନ୍ତୁ ଦୁଃଖ ଲାଗୁଛି ଭଲ ଭାବେ ଦର୍ଶନ କରିପାରୁ ନାହୁଁ। ଶ୍ରୀମନ୍ଦିରରେ ଭିଡ଼ ଭିତରେ ଅଣଃନିଶ୍ୱାସୀ ହୋଇପଡିଲି। ଠେଲାପେଲା ବି ହେଉଥିଲା। ମୁଁ ବୁଢୀ ଲୋକ। ତେଣୁ ଦର୍ଶନ କରି ନ ପାରି ପଳାଇ ଆସିଲି ବୋଲି ସେ କହିଛନ୍ତି। ରେଲ୍‌ୱେ ଟୁରିଷ୍ଟ କମ୍ପ୍ଲେକ୍ସ ଆଶ୍ରୟସ୍ଥଳରେ ରହୁଥିବା ପ୍ରତିଭାଙ୍କ ସମେତ  ସମାନ ଦୁଃଖ ବଖାଣିଛନ୍ତି ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ବ୍ଲକ ଆଙ୍କୁଲିକଣାର ପୂଜାଲକ୍ଷ୍ମୀ ଧଳ। ସେ କହିଛନ୍ତି,  କେବଳ ମହାପ୍ରଭୁଙ୍କୁ ଟିକେ ଦର୍ଶନ କରିବୁ ବୋଲି ଏତେବାଟରୁ ଆସି ରହିଛୁ। ହେଲେ ସକାଳୁ ଏତେ ଗହଳି ହେଉଛି ଯେ, ଦର୍ଶନ କରି ହେଉନାହିଁ। ଶୁକ୍ରବାର ଏମିତି ଠେଲାପେଲାରେ ମୋ ଗୋଡ଼ କାନ୍ଥରେ ବାଡେଇ ହୋଇଯିବାରୁ  ଡାହାଣ ଆଣ୍ଠୁ ପାଖରେ ଖଣ୍ଡିଆ ହୋଇଯାଇଛି। ଏଥିରେ ମନ ଦୁଃଖ ନାହିଁ। କାଳିଆ ଠାକୁରର ଯାହା ଇଚ୍ଛା। ପ୍ରଶାସନ  ଯଦି ଆମ ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ସ୍ବତନ୍ତ୍ର ଦର୍ଶନ ସୁବିଧା କରନ୍ତା ମହାପ୍ରଭୁ ମଙ୍ଗଳ କରନ୍ତେ ବୋଲି ଭାବ ବିହ୍ବଳ ହୋଇ କହିଥିଲେ ପୂଜାଲକ୍ଷ୍ମୀ।
  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...