Sports

ରେକର୍ଡ ମ୍ୟାନ ବିରାଟ

ଗୁଆହାଟୀ : ରବିବାର ଗୁଆହାଟୀର ବର୍ସାପାରା ଷ୍ଟାଡିୟମ୍‌ରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଦମ୍‌ଦାର ଇନିଂସ ବିଜୟ ପାଇଁ ଦଳର ସ୍ଥିତିକୁ ମଜଭୁତ କରିଥିଲା। କାରିବିଆନ୍‌ ଟିମ୍ ଇଣ୍ଡିଜ୍‌ ଭାରତକୁ ୩୨୩ ରନ୍‌ର ଟାର୍ଗେଟ ଦେବାପରେ କୋହଲି ତାଙ୍କର ଚିରାଚରିତ ଷ୍ଟାଇଲ୍‌ରେ ଆକ୍ରମଣାତ୍ମକ ଇନିଂସ୍‌ ଖେଳିଥିଲେ। ଆଉ ଏଥିସହିତ ମାତ୍ର ୭୧ ବଲ୍‌ରୁ ହାସଲ କରିଥିଲେ ତାଙ୍କ କ୍ୟାରିଅରର ୩୬ ତମ ଦିନିକିଆ ଶତକ। ପୂର୍ବରୁ ଅନେକ ରେକର୍ଡର ଅଧିକାରୀ ବିରାଟ ୱେଷ୍ଟଇଣ୍ଡିଜ୍ ସହିତ ୫ଟି ମ୍ୟାଚ୍‌ର ସିରିଜ୍‌ର ଏହି ପ୍ରଥମ ମ୍ୟାଚ୍‌ରେ ଆଉ କିଛି ରେକର୍ଡ ଯୋଡ଼ି ଦେଇ ପାରିଛନ୍ତି। ଅନ୍ତର୍ଜାତୀୟ କ୍ୟାରିଅରରେ ୩ଟି ଯାକ ଫର୍ମାଟରେ ସେ ୬୦ତମ ଶତକ ହାସଲ କରିଛନ୍ତି, ଯଦିଓ ଏଥିରେ ଟି୨୦ ଶତକ ଏଯାଏ ଯୋଡ଼ି ହୋଇନି। ଏଥିରୁ ୩୬ଟି ଦିନିକଆରେ ସେ ହାସଲ କରିଥିବାବେଳେ ଟେଷ୍ଟରେ ୨୪ଟି ଶତକ ହାସଲ କରିଛନ୍ତି। ଏହା ସହିତ ଅନ୍ତର୍ଜାତୀୟ କ୍ୟାରିଅରରେ ୬୦ ଶତକ ହାସଲ କରି ସଚିନ୍‌ଙ୍କ ରେକର୍ଡ ଭାଙ୍ଗିବାରେ ସେ ଦ୍ରୁତତମ ବ୍ୟାଟ୍‌ସମ୍ୟାନ୍‌ ହୋଇପାରିଛନ୍ତି।୫୦ ଓଭରର ଦିନିକଆ ମ୍ୟାଚ୍‌ରେ କୋହଲିଙ୍କଠାରୁ ଅଧିକ ଶତକ ହାସଲ କରିଥିବା ଏକମାତ୍ର ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ୪୯ ଶତକ ସହିତ ଆଗରେ ଅଛନ୍ତି। କୋହଲିଙ୍କ ତଳକୁ ରିକି ପଣ୍ଟିଂ ୩୦ଟି ଶତକ ସହିତ ତୃତୀୟ ସ୍ଥାନରେ ଅଛନ୍ତି। ଅଧିନାୟକ ହିସାବରେ ସେ ୩୧ତମ ଶତକ ହାସଲ କରିଛନ୍ତି, ଯେଉଁଥିରୁ ଟେଷ୍ଟରେ ୧୩ଟି ଏବଂ ଦିନିକିଆରେ ୧୪ଟି ଅଛି।୨୦୧୮ରେ ଏହା ବିରାଟଙ୍କ ୮ମ ଶତକ ଯେଉଁଥିରୁ ଟେଷ୍ଟରେ ୪ଟି ଏବଂ ଦିନିକିଆରେ ୪ଟି। ଏଥିସହିତ ଲଗାତାର ତୃତୀୟ ବର୍ଷ ପାଇଁ ଗୋଟିଏ ବର୍ଷରେ ସେ ୨୦୦୦ ଦିନିକିଆ ରନ୍‌ କରିବାର ରେକର୍ଡ କରିପାରିଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିରୋଧରେ ଏହା ୫ମ ଦିନିକଆ ଶତକ ଏବଂ ଘରୋଇ ପରିବେଶରେ ଟିମ୍‌ ଇଣ୍ଡିଜ୍ ବିରୋଧରେ ତାଙ୍କର ତୃତୀୟ ଶତକ। ଅନ୍ୟ ଦୁଇଟି ଶତକ ସେ ଇଣ୍ଡିଜ୍‌ ମାଟିରେ ୨୦୧୩ ଏବଂ ୨୦୧୭ରେ ହାସଲ କରିଥିଲେ।

Loading...

Join The Discussion

Loading...