Sports

ଟିମ୍ ଇଣ୍ଡିଆକୁ ପୂର୍ବତନ କ୍ରିକେଟରଙ୍କ ସମାଲୋଚନା

  •  
  • 3
  •  
  •  
  •  
  •  
  •  
    3
    Shares

ନୂଆଦିଲ୍ଲୀ: ଲର୍ଡ୍ସରେ ଭାରତର ଶୋଚନୀୟ ପରାଜୟ ପରେ ପୂର୍ବତନ କ୍ରିକେଟରମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେମାନେ କୋହଲି ବାହିନୀର କଡ଼ା ସମାଲୋଚନା କରିଛନ୍ତି । ମ୍ୟାଚ୍ ଜିତିବାର କ୍ଷମତା ଭାରତ ପାଖରେ ରହିଛି ଏବଂ ନିଶ୍ଚୟ ବିଜୟପଥକୁ ଫେରିବ ବୋଲି ସେମାନଙ୍କର ଦୃଢ଼ ବିଶ୍ୱାସ ରହିଥିଲା । କିନ୍ତୁ କୋହଲି ବାହିନୀ ଏଭଳି ପ୍ରଦର୍ଶନ କରିବେ ବୋଲି ସେମାନେ କେବେବି ଚିନ୍ତା କରିନଥିଲେ । କୋହଲିଙ୍କର ସମାଲୋଚନା କରିଥିବା ପୂର୍ବତନ କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ବୀରେନ୍ଦ୍ର ସେହ୍ୱାଗ । ସେହ୍ୱାଗ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଭାରତ ଯେଭଳି ପ୍ରଦର୍ଶନ କଲା, ସେଥିରୁ ପ୍ରତିପାଦିତ ହେଲା ଯେ, ଭାରତ ପାଖରେ ଲଢ଼ିବାର ଶକ୍ତିର ଅଭାବ ରହିଛି । ପୂର୍ବତନ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ସମାନ କଥା କହିଛନ୍ତି । ସେହ୍ୱାଗ କହିଛନ୍ତି ଯେ, ଭାରତ ଅତି ଦୁର୍ବଳ ପ୍ରଦର୍ଶନ କଲା । ଆମେ ସବୁବେଳେ ଟିମ୍ ପଛରେ ରହିଆସିଛୁ ଏବଂ ସମର୍ଥନ ଦେଉଛୁ । କିନ୍ତୁ ଯେଉଁଠି ଆଦୌ ନଲଢ଼ି ମ୍ୟାଚ୍ ଖେଳାଯାଏ, ସେଠି ସହାନୁଭୂତି ଦେଖାଇବାର ଅବକାଶ ନଥାଏ । କୋହଲି ବାହିନୀ ଯେଭଳି ଖେଳିଲା, ତାହାକୁ ଏକ କ୍ରିକେଟ୍ ଖେଳ ବୋଲି କୁହାଯାଇ ନପାରେ । ଏହା ଆମମାନଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଏଭଳି ଏକ ମ୍ୟାଚ୍ ଦେଖି ଆମେ ନିଜକୁ ଲଜ୍ଜିତ ମନେ କରୁଛୁ ବୋଲି ସେ କହିଛନ୍ତି । ସେହିପରି, ପୂର୍ବତନ କ୍ରିକେଟର ବିସନ ସିଂ ବେଦୀ କହିଛନ୍ତି ଯେ, ଭାରତର ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ଥିଲା । ଆଶା ଓ ବିଶ୍ୱାସ ଥିଲା ଭାରତ ପ୍ରତ୍ୟାବର୍ତ୍ତନ କରିବ । କିନ୍ତୁ ଏଭଳି ଲଜ୍ଜାଜନକ ଖେଳ ଖେଳିବ ତାହା କେହିବି ଚିନ୍ତା କରିନଥିଲେ । ଭାରତ ପାଖରେ ଜିତିବାର ଶକ୍ତି ଓ ସାମର୍ଥ୍ୟ ନାହିଁ ବୋଲି କୁହାଯିବା ଠିକ୍ ହେବ ନାହିଁ । ବେଳେବେଳେ ଏଭଳି ଘଟିଥାଏ ବୋଲି ସେ କହିଛନ୍ତି ।
ଚଳିତ ଟେଷ୍ଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତୀୟ ଏକାଦଶ ଚୟନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଭାଷ୍ୟକାର ଦାୟିତ୍ୱ ତୁଲାଉଥିବା ସୌରଭ ଗାଙ୍ଗୁଲି । ପ୍ରଥମ ମ୍ୟାଚ୍ ପରେ ଦଳରେ ଦୁଇଟି ପରିବର୍ତ୍ତନ ପୂର୍ବକ ସ୍ପିନର୍ କୁଲଦୀପ ଯାଦବ ଓ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ସାମିଲ୍ କରାଯାଇଛି । କିନ୍ତୁ ଉମେଶ ଯାଦବଙ୍କ ସ୍ଥାନରେ କୁଲଦୀପଙ୍କୁ ନିଆଯିବା ନିଷ୍ପତ୍ତିକୁ ଭୁଲ୍ ବୋଲି କହିଛନ୍ତି ଗାଙ୍ଗୁଲି । ଲର୍ଡ୍ସର ପାଣିପାଗ ଅନୁସାରେ ଉମେଶ ଦଳ ପାଇଁ ବେଶ୍ ଲାଭଦାୟକ ହୋଇଥାନ୍ତେ । ତା’ଛଡ଼ା ଲର୍ଡ୍ସ ପିଚ୍ରେ ଦଳ ଜଣେ ଅତିରିକ୍ତ ଦ୍ରୁତ ବୋଲର୍ଙ୍କୁ ଖେଳାଇବାର ଆବଶ୍ୟକତା ଥିଲା । ଏଠାରେ ଦଳ ତା’ର ସର୍ବଶ୍ରେଷ୍ଠ ପାଞ୍ଚ ବୋଲର୍ଙ୍କ ସହ ଖେଳିଥିଲେ ଫଳାଫଳ ନିଶ୍ଚିତ ଭାବେ ଭନ୍ନ ହୋଇଥାନ୍ତା ବୋଲି ଗାଙ୍ଗୁଲି କହିଛନ୍ତି । ତେବେ ଚୂଡ଼ାନ୍ତ ଏକାଦଶ ଚୟନରେ ସେ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଦୋଷ ଦେଇନାହାନ୍ତି । ସୂଚନାଯୋଗ୍ୟ ଯେ ଟିମ୍ ଇଣ୍ଡିଆ ଦଳରେ କରିଥିବା ଦୁଇଟି ପରିବର୍ତ୍ତନ ଦଳ ପାଇଁ ଆଦୌ ଲାଭଜନକ ହୋଇପାରିନାହିଁ । କାରଣ ଓପନର ଶିଖର ଧୱନ୍ଙ୍କ ସ୍ଥାନରେ ଖେଳିଥିବା ପୂଜାରା ମାତ୍ର ୧ ରନ୍ କରିଥିବା ବେଳେ କୁଲଦୀପ ମାତ୍ର ୯ ଓଭର୍ ବୋଲିଂ କରିଛନ୍ତି ।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...