Sports

ପୱାରଙ୍କ ସପକ୍ଷରେ ବାହାରିଲେ ହରମନପ୍ରୀତ ଓ ସ୍ମୃତି

  •  
  •  
  •  
  •  
  •  
  •  
  •  

ମୁମ୍ବାଇ: ମହିଳା ଟି-୨୦ ଅଧିନାୟକ ହରମନ୍ପ୍ରୀତ୍ କୌର ଓ ସିନିୟର ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଦନା ବିସିସିଆଇକୁ ଏକ ଚିଠି ଲେଖି ପୂର୍ବତନ କ୍ରିକେଟର ରମେଶ ପୱାରଙ୍କୁ ମହିଳା ଜାତୀୟ କ୍ରିକେଟ୍ ଟିମ୍ର କୋଚ୍ ଭାବେ କାର୍ଯ୍ୟ କରିବା ଲାଗି ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଏହି ଦୁଇ ମହିଳା ଖେଳାଳି ବିସିସିଆଇର ପ୍ରଶାସକ କମିଟି ନିକଟକୁ ଚିଠି ଲେଖିଛନ୍ତି । ସେମାନେ ପୃଥକ ପୃଥକ ଭାବେ କମିଟି ସଦସ୍ୟ ବିନୋଦ ରାୟ, ଡାଏନା ୟେଦୁଲ୍ଜି, କାର୍ଯ୍ୟକାରୀ ସଭାପତି, ସମ୍ପାଦକ ଓ କୋଷାଧ୍ୟକଙ୍କ ନିକଟକୁ ଚିଠି ଲେଖିଛନ୍ତି । ଚିଠିରେ ହରମନ୍ପ୍ରୀତ୍ କହିଛନ୍ତି, ମୁଁ ଟି-୨୦ ଦଳର ଅଧିନାୟକ ଭାବେ ଅନୁରୋଧ କରୁଛି ଯେ, ରମେଶ ପୱାରଙ୍କୁ ପୁନର୍ବାର ଆମର କୋଚ୍ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଉ । ଟି-୨୦ ବିଶ୍ୱକପ୍ ପାଇଁ ଆମ ହାତରେ ଅତିବେଶୀରେ ଆଉ ୧୫ ମାସ ସମୟ ରହିଛି । ସେହିପରି, ଆଉ ମାସେ ପରେ ଆମେ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯିବୁ । ତେଣୁ ତା’ ପୂର୍ବରୁ କୋଚ୍ ନିଯୁକ୍ତି କାମ ତୁଟାଇ ଦିଆଗଲେ ଆମ ପାଇଁ ମଙ୍ଗଳକର ହେବ । ରମେଶ ତାଙ୍କ ପ୍ରଶିକ୍ଷଣ କୌଶଳ ବଳରେ ଆମମାନଙ୍କ ଠାରେ ନୂଆ ଶକ୍ତି ସଂଚାର କରିଛନ୍ତି । ମୁଁ ଭାବୁଛି ଯେ, ତାଙ୍କୁ ବଦଳାଇବାର କୌଣସି ଯଥାର୍ଥତା ନାହିଁ । ବର୍ତ୍ତମାନ ସ୍ଥିତିରେ ତାଙ୍କୁ ବଦଳାଇବା ଟିମ୍ ପାଇଁ କ୍ଷତିକାରକ ହୋଇପାରେ । ଖେଳାଳିଙ୍କ ସହିତ ତାଙ୍କର ଉତ୍ତମ ସମନ୍ୱୟ ରହିଛି । ପ୍ରତ୍ୟେକ ଖେଳାଳିଙ୍କ ସୁବିଧା ଅସୁବିଧାକୁ ଧ୍ୟାନରେ ରଖି ସେ କାମ କରିଥାନ୍ତି । ତେଣୁ ତାଙ୍କ ସ୍ଥାନରେ ବର୍ତ୍ତମାନ ଅନ୍ୟ କାହାକୁ ଅବସ୍ଥାପିତ କରିବା କ୍ଷତିକାରକ ହୋଇପାରେ ବୋଲି ହରମନ୍ପ୍ରୀତ୍ ଉଲ୍ଲେଖ କରିଛନ୍ତି । ସ୍ମୃତି ମଧ୍ୟ ସମାନ କଥା କହିଛନ୍ତି । ଏହି ଦୁଇ ଖେଳାଳିଙ୍କର ଏଭଳି ମତାମତ ଭାରତୀୟ ମହିଳା ଦିନିକିଆ ଦଳର ଅଧିନାୟିକା ମିତାଲୀ ରାଜଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କାରଣ ସେ ମୂଳରୁ ରମେଶ ପୱାରଙ୍କୁ ନାପସନ୍ଦ କରିଆସୁଛନ୍ତି । ଏପରିକି ତାଙ୍କ ବିରୋଧରେ ସେ କେତେକ ଅଭିଯୋଗ ମଧ୍ୟ ଆଣିଥିଲେ । ସେହିପରି, ପୱାର ମଧ୍ୟ ସେତେବେଳେ ମିତାଲିଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ଯେ, ମିତାଲି ନିଜକୁ ଦଳ ଠାରୁ ବଡ଼ ବୋଲି ଭାବୁଛନ୍ତି । ତାଙ୍କର ଏହି ବ୍ୟବହାର ଅନ୍ୟ ଖେଳାଳିମାନଙ୍କ ମନୋବଳକୁ ପ୍ରଭାବିତ କରୁଛି । ମିତାଲି ଓ ପୱାରଙ୍କ ମଧ୍ୟରେ ଏଭଳି ତିକ୍ତତା ଲାଗି ରହିଥିବା ବେଳେ ହରମନ୍ପ୍ରୀତ୍ ହଠାତ୍ ଏପରି ଏକ ଚିଠି ବିସିସିଆଇକୁ ଲେଖିବା ସମଗ୍ର ଘଟଣାକୁ ଭିନ୍ନମୋଡ଼ ଦେଇଛି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...