Sports

ଶ୍ରୀଜେସ୍‌ଙ୍କୁ ପ୍ରଶଂସାରେ ପୋତିଲେ ହରେନ୍ଦ୍ର ସିଂ

  •  
  • 2
  •  
  •  
  •  
  •  
  •  
    2
    Shares

ଭୁବନେଶ୍ୱର :  ଭାରତୀୟ ଦଳରେ କେତେ ଷ୍ଟ୍ରାଇକର, ମିଡଫିଲ୍ଡର, ଡିଫେଣ୍ଡର୍ସ ଆସିଲେଣି ଓ ଗଲେଣି। ଏପରିକି ଏକାଧିକ କୋଚ୍‌ ଦାୟିତ୍ୱ ନେଇ ଗଲେଣି ଓ ନୂଆ କୋଚ୍‌ ମଧ୍ୟ ଆସିଲେଣି। କିନ୍ତୁ ଦଳରେ ଜଣେ ଖେଳାଳି ତାଙ୍କର ସ୍ଥାନ ବଜାୟ ରଖିଛନ୍ତି। ସେ ହେଉଛନ୍ତି ଗୋଲକିପର ପି.ଆର. ଶ୍ରୀଜେସ୍‌। ଦୁଇଥର ଆନ୍ତର୍ଜାତିକ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଗୋଲ କିପର ଅଫ ଦି ଇୟର ପୁରସ୍କାର ପାଇଁ ନୋମିନେଟ ହୋଇଥିବା ୩୦ ବଷୀୟ ଶ୍ରୀଜେସ୍‌ ଦଳର ସବୁଠାରୁ ଅଭିଜ୍ଞ ଖେଳାଳି ବିବେଚିତ ହୋଇଛନ୍ତି। ଏପର୍ଯ୍ୟନ୍ତ ସେ ୨୦୬ଟି ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିସାରିଲେଣି।

ଗୋଲକିପିଙ୍ଗ୍‌ରେ ବୟସ୍‌ ଅନୁସାରେ ଅଭିଜ୍ଞତା ଆସିଥାଏ। ଜଣେ ୨୨ ବର୍ଷୀୟ ଗୋଲକିପର ଅସାଧାରଣ ପ୍ରଦର୍ଶନ କରିବ ଏକଥା ଆଶା କରାଯାଇ ପାରିବନି ବୋଲି ଭାରତୀୟ ହେଡ୍‌ କୋଚ୍‌ ହରେନ୍ଦ୍ର ସିଂ କହିଛନ୍ତି। ଫୁଟବଲ ହେଉ କି ହକି ଜଣେ ଗୋଲ କିପର ୨୮-୩୫ ବର୍ଷ ବୟସରେ ଶ୍ରେଷ୍ଠ ପ୍ରଦର୍ଶନ କରିଥାଏ। ଗତ ୧୧ ବର୍ଷ ହେବ ଶ୍ରୀଜେସ ବହୁତ ଅଭିଜ୍ଞତା ହାସଲ କରିଛନ୍ତି। ଯୁବ ଖେଳାଳିଙ୍କ ସହିତ ସେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି। ଏହା ଦେଖି ମୁଁ ବେଶ୍‌ ଖୁସି ବୋଲି ହାରେନ୍ଦ୍ର କହିଛନ୍ତି। ଦେଶର ଏବେ କୌଣସି ଗୋଲକିପର ଶ୍ରୀଜେସଙ୍କ ସମକକ୍ଷ ହୋଇ ପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ୨୦୦୬ରେ କଲମ୍ବୋରେ ଅନୁଷ୍ଠିତ ସାଉଥ୍‌ ଏସିଆନ ଗେମ୍ସରେ ଶ୍ରୀଜେସ ପଦାର୍ପଣ କରିଥିଲେ। ଯୁବ ଗୋଲକିପରମାନେ ମଧ୍ୟ ଉଚ୍ଚକୋଟୀର ପ୍ରଦର୍ଶନ କରୁଛନ୍ତି। ତେବେ ଗୋଲ କିପିଙ୍ଗ ପାଇଁ ଅଭିଜ୍ଞତା ନିହାତି ଜରୁରୀ ବୋଲି ଶ୍ରୀଜେସ କହିଛନ୍ତି। ଅନ୍ୟ ଭାରତୀୟ ଯୁବ ଗୋଲକିପର କ୍ରିଶନ ପାଠକ, ଆକାଶ ଚିଟକେ, ସୁରଜ କରକେରା ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି ଶ୍ରୀଜେସ କହିଛନ୍ତି। ଭାରତ ତା’ର ଅନ୍ତିମ ପୁଲ୍‌ ମ୍ୟାଚ୍‌ରେ ବିଶ୍ୱର ୧୧ ନମ୍ବର ଦଳ କାନାଡ଼ାକୁ ଭେଟିବ। କାନାଡ଼ା ମଧ୍ୟ ବିଶ୍ୱକପ୍‌ରେ ପ୍ରଥମ ବିଜୟ ଅନ୍ବେଷଣରେ ରହିଛି। କାନାଡ଼ାକୁ ଆମେ ଆଦୌ ହାଲକା ଭାବେ ନେଉନାହୁଁ। ବିଶ୍ୱକପ୍‌ରେ ଅଂଶଗ୍ରହଣ କରିଥିବା ସବୁ ୧୬ ଦଳକୁ ଆମେ ସମାନ ଗୁରୁତ୍ୱ ଦେଉଛୁ। ଗତ ବର୍ଷ ହକି ଓ୍ବାଲର୍‌ଡ ଲିଗ୍‌ ସେମିଫାଇନାଲରେ ଭାରତ ୨-୩ ଗୋଲରେ କାନାଡ଼ାଠାରୁ ପରାସ୍ତ ହୋଇଥିଲା। ଏହି ପରାଜୟକୁ ଆମେ ଭୁଲିନାହୁଁ ବୋଲି ଶ୍ରୀଜେସ କହିଛନ୍ତି।

Loading...
  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...