Sports

ହେରାଥଙ୍କ ବିଦାୟୀ ଟେଷ୍ଟରେ ବିଜୟ ସ୍ୱାଦ ଚଖାଇପାରିଲାନି ଶ୍ରୀଲଙ୍କା

  •  
  •  
  •  
  •  
  •  
  •  
  •  

ଗାଲେ (ଶ୍ରୀଲଙ୍କା) : ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚକୁ ଇଂଲଣ୍ଡ ୨୧୧ରନରେ ଜିତିନେଇଛି। ବିଦେଶରେ ୧୩ଟି ମ୍ୟାଚ ପରେ ଦଳର ଏହା ହେଉଛି ପ୍ରଥମ ବିଜୟ। ଅବସର ପୂର୍ବରୁ କ୍ରିକେଟର ସବୁଠାରୁ ସଫଳ ବାମହାତୀ ସ୍ପିନର ରଙ୍ଗନା ହେରାଥଙ୍କର ଏହା ଥିଲା ଅନ୍ତିମ ମ୍ୟାଚ। ସେ ଶେଷ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ଘରୋଇ ଦଳ କଷ୍ଟସାଧ୍ୟ ୪୬୨ରନର ବିଜୟ ଲକ୍ଷ୍ୟ ପିଛା କରୁଥିବାବେଳେ ଚତୁର୍ଥ ଦିବସରେ ୨୫୦ ସ୍କୋରରେ ଅଲଆଉଟ ହୋଇଯାଇଥିଲା। ଇଂଲଣ୍ଡ ତରଫରୁ ମୋଇନ ଅଲି ୪ ଏବଂ ଜ୍ୟାକ୍‌ ଲିଚ୍‌ ତିନୋଟି ଉଇକେଟ ଅକ୍ତିଆର କରିଥିଲେ। ମ୍ୟାଚରେ ଇଂଲଣ୍ଡ ୧୩୯ରନ ପ୍ରଥମ ଇନିଂସ ଅଗ୍ରଣୀ ଲାଭ କରିଥିଲା। ଗୁରୁବାର କିଟନ ଜେନିଙ୍ଗ୍ସଙ୍କ ଆକର୍ଷଣୀୟ ଅପରାଜିତ ଶତକ ଦ୍ୱାରା ରୁଟ୍‌ ୩୨୨/୬ ସ୍କୋରରେ  ଦ୍ୱିତୀୟ ଇନିଂସ ଘୋଷଣା କରିଥିଲେ। ଶୁକ୍ରବାର ପୂର୍ବଦିନର ଅସମାପ୍ତ ସ୍କୋର ୧୫/୦ ସ୍କୋରରୁ ଖେଳ ଆରମ୍ଭ କରିଥିଲା ଶ୍ରୀଲଙ୍କା। ଅପରାଜିତ ରହିଥିବା ଓପନର କୌଶଲ ସିଲ୍‌ଭା ଓ ଦିମୁଥ କରୁଣାରତ୍ନେ ପ୍ରଥମ ସେସନରେ ଇଂଲଣ୍ଡ ବୋଲିଂ ଆକ୍ରମଣର ଉଚିତ୍‌ ମୁକାବିଲା କରି ନ ପାରି ଚାପର ଶିକାର ହୋଇଥିଲେ। କୌଶଲ ଲିଚ୍‌ଙ୍କ ବଲ୍‌ରେ ସୁଇପ୍‌ ଶଟ୍‌ ଖେଳିବାକୁ ଚେଷ୍ଟା କରି ଲେଗ୍‌ ବିଫୋର ଉଇକେଟ ହୋଇ ପ୍ୟାଭିଲିୟନ ଫେରିଥିଲେ। କରୁଣାରତ୍ନେ ୨୬ ରନ ସ୍କୋରରେ ଅଲିଙ୍କ ଦ୍ୱାରା କଟ୍‌ ଆଣ୍ଡ୍‌ ବୋଲ୍ଡ ହୋଇଥିଲେ। ଧନଞ୍ଜୟ ଡି’ସିଲ୍‌ଭା ଦୃଢ ଆତ୍ମବିଶ୍ୱାସର ସହିତ ଖେଳ ଆରମ୍ଭ କରିଥିଲେ। ମାତ୍ର ସକାଳ ସେସନର ଅନ୍ତିମ ଓଭରରେ ବେନ୍‌ ଷ୍ଟୋକ୍ସଙ୍କ ବଲ୍‌ରେ ପ୍ରଥମ ସ୍ଲିପ୍‌ ଅଞ୍ଚଳରେ ଅଧିନାୟକ ଜୋ ରୁଟ୍‌ଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଯାଇଥିଲେ।

ଫାଇନାଲ ସେସନରେ ଘରୋଇ ଦଳର ଆରମ୍ଭ  ନୈରାଶ୍ୟଜନକ ଥିଲା। ଚା’ପାନ ବିରତି ପରେ ପ୍ରଥମ ବଲ୍‌ରେ ଆଉଟ ହୋଇଥିଲେ ନିରୋଶାନ ଡିକ୍‌ଓ୍ବେଲା। ସେ ୧୬ରନ କରିଥିବାବେଳେ ଅଲିଙ୍କ ବଲ୍‌ରେ

Loading...

ଷ୍ଟାକ୍ସଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ। ପରେ ଆଞ୍ଜେଲୋ ମାଥ୍ୟୁସ ବ୍ୟକ୍ତିଗତ ୧୮ରନ କରି ଖେଳୁଥିବା ବେଳେ ଜେମ୍ସ ଆଣ୍ଡରସନ ତାଙ୍କର ଏକ କ୍ୟାଚ ହାତଛଡ଼ା କରିଥିଲେ। ଯାହାଫଳରେ ସେ ୫୩ ରନ କରିପାରିଥିଲେ। ସେ ଅଲିଙ୍କ ବଲ୍‌ରେ ମିଡ୍‌ଉଇକେଟ ଅଞ୍ଚଳରେ ଜୋସ୍‌ ବଟଲରଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ। ତାଙ୍କ ପଛକୁ ପଛ ଅକିଲା ଦନଞ୍ଜୟ ୮ ରନ କରି ପ୍ୟାଭିଲିୟନ ଫେରିଥିବାବେଳେ ହେରାଥ ୫ ରନ କରି ରନ ଆଉଟ ହୋଇଥିଲେ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...