Sports

ବିଜୟ ସହ ଓଡିଶାର ରଣଜୀ ଅଭିଯାନ ଶେଷ, ବ୍ୟାଟିଂରେ ଶୁଭ୍ରାଂଶୁ, ବୋଲିଂରେ ବସନ୍ତ ଶୀର୍ଷରେ

  •  
  • 2
  •  
  •  
  •  
  •  
  •  
    2
    Shares

ଭୁବନେଶ୍ୱର :  ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା କ୍ରିକେଟ ଦଳ ବିଜୟ ସହ ଏହାର ଅଭିଯାନ ଶେଷ କରିଛି। ଓଡ଼ିଶା ତା’ର ଅନ୍ତିମ ମ୍ୟାଚ୍‌ରେ ଗୋଆକୁ ୨୭୬ ରନର ବୃହତ ବ୍ୟବଧାନରେ ପରାସ୍ତ କରିଥିଲେ ମଧ୍ୟ ନକ୍‌ଆଉଟ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି। ତେବେ ବ୍ୟକ୍ତିଗତ ପ୍ରଦର୍ଶନରେ ଶୁଭ୍ରାଂଶୁ ସେନାପତି ଓ ବସନ୍ତ ମହାନ୍ତି ଯଥାକ୍ରମେ ବ୍ୟାଟିଂ ଓ ବୋଲିଂରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି। ସିଜନରେ ପୂରା ୯ଟି ଯାକ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିବା ଶୁଭ୍ରାଂଶୁ ୧୭ ଇନିଂସରୁ ୬୧୭ ରନ କରିଛନ୍ତି। ଓଡ଼ିଶା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ଅପରାଜିତ ୧୫୭ ରନର ଶତକୀୟ ଇନିଂସ ରହିଥିବାବେଳେ ୩ଟି ଅର୍ଦ୍ଧଶତକ ସାମିଲ ରହିଛି। ସେହିଭଳି ବୋଲିଂ ବିଭାଗକୁ ନଜର ପକାଇଲେ ବସନ୍ତ ଶୀର୍ଷରେ ରହିଛନ୍ତି। ପିତାଙ୍କ ବିୟୋଗ ଯୋଗୁ ହରିୟାଣା ବିପକ୍ଷ ସିଜନ ପ୍ରଥମ ମ୍ୟାଚ୍‌ ଖେଳିପାରି ନ ଥିବା ବସନ୍ତ ଉତ୍ତରପ୍ରଦେଶ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍‌ରେ ୬ ଉଇକେଟ୍‌ ନେଇ  ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଥିଲେ। ସିଜନରେ ସେ ୮ ମ୍ୟାଚ୍‌ରୁ ୧୧.୭୦ ଆଭରେଜରେ ୪୪ ଉଇକେଟ୍‌ ନେଇଛନ୍ତି। ସେହିଭଳି ଏହି ସିଜନରେ ସେ ୧୦୦ଟି ମେଡେନ ଓଭର ବୋଲିଂ କରିବାର ଆଉ ଏକ ସଫଳତା ପାଇଛନ୍ତି। ସେହିଭଳି ଚଳିତ ସିଜନରେ ପଦାର୍ପଣ କରିଥିବା ରାଜେଶ ମହାନ୍ତି ମଧ୍ୟ ୮ ମ୍ୟାଚ୍‌ରୁ ୪୦ ଉଇକେଟ୍‌ ନେଇ ପ୍ରଦର୍ଶନର ଛାପ ଛାଡ଼ିବାରେ ସଫଳ ହୋଇଛନ୍ତି। ଅପରପକ୍ଷରେ ସୂର୍ଯ୍ୟକାନ୍ତ ପ୍ରଧାନ ଦଳ ପକ୍ଷରୁ ଶ୍ରେଷ୍ଠ ଅଲ୍‌ରାଉଣ୍ଡର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସୂର୍ଯ୍ୟକାନ୍ତ ୭ ମ୍ୟାଚ୍‌ରୁ ୨୨୯ ରନ କରିଥିବାବେଳେ ବୋଲିଂରେ ୨୫ଜଣ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇବାରେ ସକ୍ଷମ ହୋଇଛନ୍ତି। ସିଜନରେ ସେ ୩ଟି ଅର୍ଦ୍ଧଶତକ ମାରିଥିଲେ।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...