Politics

ମୋ ଜୀବନରେ ସମସ୍ତେ ମୋ ପାଇଁ ସ୍ୱତନ୍ତ୍ର : ରାହୁଲ

  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ : ମୋ ଜୀବନରେ ଜଣେ ମାତ୍ର ସ୍ୱତନ୍ତ୍ର ବ୍ୟକ୍ତି ଅଛନ୍ତି ବୋଲି ମୁଁ ଭାବେ ନାହିଁ । ମୋ ଜୀବନରେ ସମସ୍ତେ ମୋ ପାଇଁ ସ୍ୱତନ୍ତ୍ର । ଏମାନଙ୍କ ମଧ୍ୟରେ ମୋର ମାଆ, ଭଉଣୀ ଓ ସାଙ୍ଗସାଥୀ ଅନ୍ତର୍ଭୁକ୍ତ । ଦଳ ମୋ ପାଇଁ ସବୁକିଛି । ଏଭଳି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ମୁଁ ବିବାହ କରିଛି, କିନ୍ତୁ କୌଣସି ବ୍ୟକ୍ତିଙ୍କୁ ନୁହେଁ । ଦଳକୁ ହିଁ ମୁଁ ମୋର ଜୀବନସାଥୀ ଭାବେ ଗ୍ରହଣ କରିଛି । ବର୍ତ୍ତମାନ ଦଳ ମୋ ପାଇଁ ସବୁକିଛି । ତାଙ୍କ ଜୀବନରେ ସ୍ୱତନ୍ତ୍ର ଭାବରେ କିଏ ସ୍ଥାନ ନେଇଛନ୍ତି ବୋଲି ପ୍ରଶ୍ନ ହେବାରୁ ସେ ଏଭଳି ମନ୍ତବ୍ୟ ରଖି କହିଥିଲେ ଯେ, ମୁଁ ସମସ୍ତଙ୍କୁ ସମାନ ଭାବରେ ଦେଖିଥାଏ । ମା’ହୁଅନ୍ତୁ ଭଉଣୀ, ସାଙ୍ଗସାଥୀ କିମ୍ବା ଶ୍ରୋତା ଓ ବ୍ୟବସାୟିକ ବନ୍ଧୁ ସମସ୍ତେ ମୋ ଆଗରେ ସମାନ । ନେତୃତ୍ୱ ସଂପର୍କରେ ପ୍ରଶ୍ନ ହେବାରୁ ସେ କହିଥିଲେ ଯେ, ମୁଁ ମୋ ମାଆଙ୍କଠାରୁ ବହୁତ କିଛି ଶିକ୍ଷା ଲାଭ କରିଛି । ସେ ପଥ ପ୍ରଦର୍ଶକ । ସେ ମୋତେ ସବୁବେଳେ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଇଥାନ୍ତି । ଜୀବନରେ ଆଗକୁ ଯିବାକୁ ହେଲେ ଧୈର୍ଯ୍ୟ ଆବଶ୍ୟକ । ସମସ୍ତଙ୍କ କଥା ଶୁଣିବାର ଧୈର୍ଯ୍ୟ ରହିବା ଉଚିତ୍ । ଯେତେବେଳେ ସଂକଟ ଆସେ ମୁଁ ମୋ ମାଆଙ୍କ ସହ ଆଲୋଚନା କରିଥାଏ । ସେ ମୋତେ ବାଟ ଦେଖାଇଥାନ୍ତି । ଦଳକୁ ଉପଯୁକ୍ତ ନେତୃତ୍ୱ ଦେବାର ଦାୟିତ୍ୱ ଏବେ ମୋ ହାତରେ ପଡିଛି । ଯେତେବେଳେ ଦାୟିତ୍ୱ ଦିଆଗଲା ସେତେବେଳେ ମୁଁ ଚିନ୍ତାକଲି ଦଳକୁ କିପରି ଆଗକୁ ନେବି । ବିରୋଧୀମାନେ ଯେତେ ସମାଲୋଚନା କରନ୍ତି ତାହା ମୋତେ ନିଜକୁ ମାର୍ଜିତ କରିବା ପାଇଁ ସୁଯୋଗ ଦେଇଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବିଜେପି ନେତାମାନେ କ’ଣ କହୁଛନ୍ତି ତାହା ମୁଁ ଭଲ ଭାବେ ବୁଝିବାକୁ ଚେଷ୍ଟା କରିଥାଏ । କାରଣ ନେତୃତ୍ୱ ନେବା ଏବଂ ବିରୋଧୀଙ୍କୁ ଉପଯୁକ୍ତ ଜବାବ୍ ଦେବାକୁ ହେଲେ ବିରୋଧୀଙ୍କ କଥାକୁ ଭଲ ଭାବରେ ବୁଝିବାକୁ ପଡିବ । ସେମାନେ କ’ଣ କହୁଛନ୍ତି ଏବଂ କହିବା ପଛର ରହସ୍ୟ କ’ଣ ତାହା ନ ବୁଝିଲେ ଏକ ଦଳର ମୁଖ୍ୟ ହେବା ସମ୍ଭବ ନୁହେଁ । କଂଗ୍ରେସ ଏକ ପୁରୁଣା ଦଳ ଏହା ଭାରତୀୟ ଇତିହାସର ମୁକସାକ୍ଷୀ । ଏହାକୁ ବର୍ତ୍ତମାନ ଅଧିକ ଶାଣିତ ଓ ସୁଦୃଢ କରିବାର ଆବଶ୍ୟକତା ରହିଛି । ମୋର ମାଆ ଓ ପୂର୍ବପୁରୁଷମାନେ ଯେଉଁ ନେତୃତ୍ୱ କ୍ଷମତା ରଖିଥିଲେ ତାହାକୁ ଅନୁଧ୍ୟାନ କରି ଦଳକୁ ଆଗକୁ ନେବା ପାଇଁ ଚେଷ୍ଟା କରୁଛି ବୋଲି ରାହୁଲ କହିଥିଲେ ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...