National/International

୬ କୋଟି ମାଇଲ ଖୁଣ୍ଟ ଛୁଇଁଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା

  •  
  • 5
  •  
  •  
  •  
  •  
  •  
    5
    Shares

ନୂଆଦିଲ୍ଲୀ : ୬ କୋଟି ମାର୍କ ହାସଲ କଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା । ଆଜି ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କେୟା ନାଇଡ଼ୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍ୟୁୱାଇ) ଅଧୀନରେ ୬କୋଟିତମ ଏଲ୍ପିଜି ସଂଯୋଗକୁ ଦିଲ୍ଲୀ ଖାନପୁର ଶିବପାର୍କଠାରେ ଶ୍ରୀମତୀ ଜସ୍ମିନା ଖାତୁନ୍ଙ୍କୁ ହସ୍ତାନ୍ତର କରିଛନ୍ତି । ଏ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।
୬ କୋଟି ଲକ୍ଷ୍ୟ ହାସଲରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଜନ୍ ଏବଂ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତୈଳ ମନ୍ତ୍ରଣାଳୟ ଓ ତୈଳ ବିପଣନ କମ୍ପାନିଗୁଡ଼ିକର ସାମୁହିକ ପ୍ରଚେଷ୍ଟାକୁ ଉପରାଷ୍ଟ୍ରପତି ପ୍ରଂଶସା କରିଥିଲେ । ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ ବୋଲି ବର୍ଣ୍ଣନା କରି ସେ କହିଲେ, ସମାଜର ଶେଷ ଧାଡ଼ିରେ ଥିବା ଗରିବ ଲୋକଙ୍କ ହିତ ଉଦ୍ଦେଶ୍ୟରେ ଜାତିର ପିତା ମହାତ୍ମା ଗାନ୍ଧି ଦେଖିଥିବା ସ୍ୱପ୍ନକୁ ପିଏମ୍ୟୁୱାଇ ପୂରଣ କରୁଛି । ଶ୍ରୀ ନାଇଡ଼ୁ କହିଲେ, ଭାରତୀୟ ଅର୍ଥନୀତି ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ଦିଗରେ ନିଜର ଦ୍ରୁତ ଯାତ୍ରା ଜାରି ରଖିଛି ଏବଂ ପିଏମ୍ୟୁୱାଇ ଭଳି ସ୍କିମ୍ ଭାରତର ସାମାଜିକ ଅଭିବୃଦ୍ଧିରେ ସହାୟକ ହେଉଛି । ସେ କହିଲେ, ସଂସ୍କାର, ପ୍ରଦର୍ଶନ ଓ ପରିବର୍ତନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଏହି କାର୍ଯ୍ୟକ୍ରମ ଲୋକମାନଙ୍କ ଜୀବନରେ ପରିବର୍ତନ ଆଣିବା ଦିଗରେ ଏକ ବିଶାଳ ପଦକ୍ଷେପ । ଏହା କେବଳ ଘରୋଇ ଧୂଆଁଜନିତ ସ୍ୱାସ୍ଥ୍ୟଗତ ଓ ପରିବେଶଗତ ସମସ୍ୟାର ସମାଧାନ କରୁଛି ତାହା ନୁହେଁ ବରଂ ମହିଳାଙ୍କୁ ସଶକ୍ତ କରାଇ ସେମାନଙ୍କୁ ସେମାନଙ୍କ ଲକ୍ଷ୍ୟ ପଥରେ ଆଗେଇ ନେଉଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଉପରାଷ୍ଟ୍ରପତି ଏକ ଶାନ୍ତିପୂର୍ଣ୍ଣ ବୈପ୍ଳବିକ ପରିବର୍ତନ ବୋଲି ବର୍ଣ୍ଣନା କରିଛନ୍ତି । ଧାର୍ଯ୍ୟ ସମୟ ପୂର୍ବରୁ ଏହି ଲକ୍ଷ୍ୟ ହାସଲ ପାଇଁ ସେ ସମସ୍ତ ଅଂଶୀଦାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ଏଲ୍ପିଜି ଶୁଭାରମ୍ଭ ହେବାର ୫୦ ବର୍ଷ ମଧ୍ୟରେ କେବଳ ୧୩ କୋଟି ସଂଯୋଗ ଯୋଗାଇ ଦିଆଯାଇଥିଲା । କିନ୍ତୁ ଗତ ୫୪ ମାସ ମଧ୍ୟରେ ବର୍ତମାନର ସରକାରଙ୍କ ଦ୍ୱାରା ସମାନ ପରିମାଣର ଏଲ୍ପିଜି ସଂଯୋଗ ଯୋଗାଇ ଦିଆଯାଇଛି । ୨୦୧୪ରେ ଏଲ୍ପିଜି ସଂଯୋଗ ସାନ୍ଦ୍ରତା ୫୫% ଥିଲା ବେଳେ ଏବେ ଏହା ୯୦%କୁ ବୃଦ୍ଧି ହୋଇଛି । ଶ୍ରୀ ପ୍ରଧାନ କହିଲେ, ପିଏମ୍ୟୁୱାଇ ଅଧୀନରେ ୮୦% ହିତାଧିକାରୀ ସେମାନଙ୍କ ସିଲିଣ୍ଡରକୁ ରିଫିଲିଂ କରୁଛନ୍ତି । ଆନ୍ତର୍ଜାତିକ ସଂଗଠନ ଓ ବିକଶିତ ରାଷ୍ଟ୍ରଗୁଡ଼ିକ ଦ୍ୱାରା ପିଏମ୍ୟୁୱାଇ ପ୍ରଶଂସିତ ହୋଇଛି ଏବଂ ବିଶ୍ୱର ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାଇଁ ଏହା ଉଦାହରଣ ସୃଷ୍ଟି କରିଛି ।
ଦେଶର ବିପିଏଲ୍ ପରିବାରକୁ ସ୍ୱଚ୍ଛ ରୋଷେଇ ଇନ୍ଧନ ଯୋଗାଇବା ଉଦ୍ଦେଶ୍ୟରେ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା (ବିପିଏଲ୍) ପରିବାରର ୫ କୋଟି ମହିଳାଙ୍କୁ ଜମା-ମୁକ୍ତ ଏଲ୍ପିଜି ସଂଯୋଗ ଦେବାକୁ ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍ୟୁୱାଇ) ସ୍କିମ୍ ଆରମ୍ଭ କରିଥିଲେ । ପରବର୍ତୀ ସମୟରେ ୧୨,୮୦୦ କୋଟି ଟଙ୍କାର ବ୍ୟୟ ଅଟକଳ ସହ ମୋଟ୍ ହିତାଧିକାରୀ ସଂଖ୍ୟାକୁ ୮ କୋଟିକୁ ବୃଦ୍ଧି କରାଯାଇଛି ।
ସାର୍ବଜନୀନ ପିଏମ୍ୟୁୱାଇ ଅଧୀନରେ ସାମାଜିକ ଅର୍ଥନୈତିକ ଜାତି ଜନଗଣନା (ଏସ୍ଇସିସି) ତାଲିକା ଦ୍ୱାରା ଚିହ୍ନଟ ବର୍ଗ ଏବଂ ଏସ୍ଇସିସି ତାଲିକାରେ ସ୍ଥାନ ପାଇ ନ ଥିବା ଗରିବ ହିତାଧିକାରୀ ବର୍ଗ ଯଥା- ଏସ୍ସି/ଏସ୍ଟି ପରିବାର, ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ପିଏମ୍ଏୱାଇ (ଗ୍ରାମୀଣ), ଅନ୍ତୋଦୟ ଅନ୍ନ ଯୋଜନା (ଏଏୱାଇ), ବନବାସୀ, ସବୁଠୁ ପଛୁଆ ଶ୍ରେଣୀ (ଏମ୍ବିସି), ଚା ଓ ପୂର୍ବର ଚା ବଗିଚାରେ କାର୍ଯ୍ୟରତ ଆଦିବାସୀ ଏବଂ ଦ୍ୱୀପାଂଚଳ ନଦୀ-ଉପଦ୍ୱୀପରେ ବାସ କରୁଥିବା ଲୋକେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଏଲ୍ପିଜି ସଂଯୋଗ ପାଇପାରିବେ । ପ୍ରାରମ୍ଭିକ ଭାବେ ରଖାଯାଇଥିବା ୫ କୋଟି ଏଲ୍ପିଜି ସଂଯୋଗ ଲକ୍ଷ୍ୟକୁ ଧାର୍ଯ୍ୟ ଅବଧି ୨୦୧୯ ମାର୍ଚ୍ଚ ୩୧ର ବହୁ ପୂର୍ବରୁ ସରକାର ହାସଲ କରିଛନ୍ତି ।
ପିଏମ୍ୟୁୱାଇ କାର୍ଯ୍ୟକାରିତା ଦ୍ୱାରା ଜାତୀୟ ଏଲ୍ପିଜି କଭରେଜ୍ରେ ମୁଖ୍ୟତଃ ଭାବେ ପୂର୍ବାଂଚଳ ରାଜ୍ୟଗୁଡ଼ିକରେ ଆଖିଦୃଶିଆ ଅଭିବୃଦ୍ଧି ହୋଇଛି । ସ୍କିମ୍ ଦ୍ୱାରା ଗ୍ରାମାଂଚଳ ଗରିବ ପରିବାରଗୁଡ଼ିକ ବେଶ୍ ଉପକୃତ ହୋଇଛନ୍ତି ଏବଂ ପିଏମ୍ୟୁୱାଇର ମୋଟ୍ ହିତାଧିକାରୀଙ୍କ ମଧ୍ୟରୁ ୪୮% ହେଉଛନ୍ତି ଏସ୍ସି/ଏସ୍ଟି ।
ସ୍କିମ୍ ଅଧୀନରେ ଗ୍ୟାସ୍ ଷ୍ଟୋଭ କିଣିବା ଓ ପ୍ରଥମ ରିଫିଲ ପାଇଁ ସମର୍ଥ ହେଉ ନ ଥିବା ୭୪% ହିତାଧିକାରୀଙ୍କୁ ତୈଳ ବିପଣନ କମ୍ପାନିଗୁଡ଼ିକ ଦ୍ୱାରା ଋଣ ସୁବିଧା ଯୋଗାଇ ଦିଆଯାଇଛି । ଏହା ଜଣାଇବା ଉଚିତ ହେବ ଯେ ପିଏମ୍ୟୁୱାଇ ଅଧୀନରେ ମୁଣ୍ଡପିଛା ଏଲ୍ପିଜି ବ୍ୟବହାର ୩.୨୮ ରହିଛି । ପୂର୍ବରୁ ପାରମ୍ପରିକ ରୋଷେଇ ଇନ୍ଧନ ଉପରେ ନିର୍ଭର କରୁଥିବା ପରିବାରର ଜୀବନରେ ଏକ ସକାରାତ୍ମକ ପରିବର୍ତନ ଆସିଥିବା ଏହା ସ୍ପଷ୍ଟ ଦର୍ଶାଉଛି ।
କୁଛ୍ ଶିଖେଁ, କୁଛ୍ ଶିଖାୟେଁ ଶୀର୍ଷକ ଗ୍ରୁପ୍ ଆଲୋଚନା ମାଧ୍ୟମରେ ଏଲ୍ପିଜି ବ୍ୟବହାରର ଅଭିଜ୍ଞତା ଆଦାନପ୍ରଦାନ ସହ ନିରାପଦ ଏଲ୍ପିଜି ବ୍ୟବହାର ଉଦ୍ଦେଶ୍ୟରେ ସଚେତନତା ପାଇଁ ଏଲ୍ପିଜି ପଂଚାୟତ ପାଳନ କରାଯାଉଛି । ତୈଳ ବିପଣନ କମ୍ପାନିଗୁଡ଼ିକ ବର୍ତମାନ ସୁଦ୍ଧା ୫୯,୯୬୦ ସଂଖ୍ୟକ ଏଲ୍ପିଜି ପଂଚାୟତ ପାଳନ କରି ପିଏମ୍ୟୁୱାଇ ହିତାଧିକାରୀଙ୍କୁ ନିରାପଦ ଏଲ୍ପିଜି ବ୍ୟବହାର ସହ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରିଛନ୍ତି ।
୨୦୧୮ ଡିସେମ୍ବର ୧ ସୁଦ୍ଧା ଦେଶରେ ୨୨୬୩୯ ଏଲ୍ପିଜି ବିତରକ ଅଛନ୍ତି । ଏଲ୍ପିଜି ବିତରକ ଭିତିଭୂମି ସୁଦୃଢ଼ କରିବାକୁ ତୈଳ ବିପଣନ କମ୍ପାନିଗୁଡ଼ିକ ୨୦୧୯ ମାର୍ଚ୍ଚ ସୁଦ୍ଧା ସାରା ଦେଶରେ ଆଉ ୮୩୫ ବିତରକ ଯୋଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି ।
ଗରିବ ପରିବାରକୁ ଏଲ୍ପିଜି ଶସ୍ତାରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ୫ କିଲୋଗ୍ରାମ ବିଶିଷ୍ଟ ରିଫିଲ ବିକଳ୍ପ ପ୍ରଚଳନ କରିଛନ୍ତି । ଏହି ବ୍ୟବସ୍ଥା ଅଧୀନରେ ଉଜ୍ଜ୍ୱଳା ହିତାଧିକାରୀମାନେ ୧୪.୨ କିଲୋଗ୍ରାମ ସିଲିଣ୍ଡରକୁ ୫ କିଲୋଗ୍ରାମ ସିଲିଣ୍ଡର ସହ ବଦଳାଇ ପାରିବେ । ୨୦୧୮ ଡିସେମ୍ବର ୩୧ ସୁଦ୍ଧା ୧,୩୩,୮୬୯ ଜଣ ହିତାଧିକାରୀ ଏହି ସ୍କିମ୍ର ଫାଇଦା ନେଇଛନ୍ତି ।
ଯେଉଁ ପିଏମ୍ୟୁୱାଇ ହିତାଧିକାରୀ ଗ୍ୟାସ୍ଷ୍ଟୋଭ୍ ପାଇଁ ଋଣ ସୁବିଧା ନେଇଛନ୍ତି କିମ୍ବା ପ୍ରଥମ ରିଫିଲ୍ କରିଛନ୍ତି ଅଥବା ଉଭୟ କରିଛନ୍ତି, ତୈଳ ବିପଣନ କମ୍ପାନିଗୁଡ଼ିକ ସେମାନଙ୍କୁ ୬ଟି ରିଫିଲ୍ ପର୍ଯ୍ୟନ୍ତ ବା ୧ବର୍ଷ ନିମନ୍ତେ ଋଣ ଆଦାୟ ସ୍ଥଗିତାଦେଶ ସୁବିଧା ଯୋଗାଉଛନ୍ତି ।
ପିଏମ୍ୟୁୱାଇ କାର୍ଯ୍ୟକାରିତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ପ୍ରଶଂସା କରିଛି ଏବଂ ମହିଳାମାନେ ସମ୍ମୁଖୀନ ହେଉଥିବା ଘର ଭିତରର ସ୍ୱାସ୍ଥ୍ୟଜନିତ ପ୍ରଦୂଷଣ ରୋକିବା ଦିଗରେ ଏହା ଏକ ନିଷ୍ପତିମୂଳକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛି । ସ୍କିମ୍ ଅଧୀନରେ ଆଜି ବହୁ ହିତାଧିକାରୀଙ୍କୁ ଏଲ୍ପିଜି ସଂଯୋଗ ଦିଆଯାଇଥିଲା ।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...