National/International

ଶେଷ ହେଲା ଓଡ଼ିଶାର ପର୍ବ

  •  
  • 5
  •  
  •  
  •  
  •  
  •  
    5
    Shares

ସୁରଟ : ଓଡ଼ିଶାର ଗୌରବମୟ ଲୋକକଳା, ସଂସ୍କୃତି, ପାରମ୍ପରିକ ଖାଦ୍ୟ ଏବଂ ନିଖୁଣ ହସ୍ତଶିଳ୍ପ ଓ ସୂକ୍ଷ୍ମହସ୍ତତନ୍ତ ବିଶ୍ୱ ଦରବାରରେ ପ୍ରଚାର, ପ୍ରସାର ଏବଂ ପ୍ରତିଫଳିତ କରିବା ନିମନ୍ତେ ନୂଆଦିଲ୍ଲୀସ୍ଥିତ ଅଗ୍ରଣୀ ଅଣ ଲାଭଦାୟକ ସଂସ୍ଥା ଓଡ଼ିଆ ସମାଜ ପକ୍ଷରୁ ଗୁଜୁରାଟର, ବ୍ୟବସାୟିକ ରାଜଧାନୀ ସୁରଟଠାରେ ସେପ୍ଟେମ୍ବର ୨ ଏବଂ ୩ ତାରିଖରେ ଆରମ୍ଭ ହୋଇଥିବା ଓଡ଼ିଶା ପର୍ବ ଆଜି ବିଶାଳ ଜନ ସମାଗମ ତଥା ଉତ୍ସାହ ଓ ଉଦ୍ଦୀପନାର ସହ ଶେଷ ହୋଇଛି । ଏହି ଭବ୍ୟ ସମାରୋହରେ ଗୁଜୁରାଟ ଅଧିବାସୀ ଏବଂ ବିଶେଷ କରି ସୁରଟ୍ବାସୀ ଓଡ଼ିଶା ଭଳି ସମୁଦ୍ର ତଟବର୍ତୀ ରାଜ୍ୟର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଖାଦ୍ୟ,ନୃତ୍ୟ, ସଙ୍ଗୀତ ଆଦିର ଭରପୂର ମଜା ନେଇଛନ୍ତି । ଏହି ଓଡ଼ିଶା ପର୍ବରେ ୩ଡି ଫିଲ୍ମ ମାଧ୍ୟମରେ ବ୍ରିଟିଶ ବିରୁଦ୍ଧରେ ଓଡ଼ିଶାର ସାହସୀ ସଂଗ୍ରାମୀଙ୍କ ବୀରତ୍ୱର ଗାଥା ମଧ୍ୟରେ ପ୍ରଦର୍ଶିତ ହୋଇଥିଲା ଯାହା କି ଉପସ୍ଥିତ ଦର୍ଶକଙ୍କୁ କରିଥିଲା ବେଶ୍ ମନ୍ତ୍ରମୁଗ୍ଧ ।
ଆଜିର ଉଦ୍ୟାପନୀ ସନ୍ଧ୍ୟାରେ ମାନନୀୟ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ରୂପେ ଯୋଗଦେଇ ଉପସ୍ଥିତ ଦର୍ଶକଙ୍କୁ କହିଥିଲେ ଯେ, ଓଡିଆ ସମାଜ ପକ୍ଷରୁ ଓଡିଶା ପର୍ବ ଦେଶର ରାଜନଧାନୀ ଦିଲୀରୁ ଆରମ୍ଭ ହୋଇ ଆସି ସୁରଟରେ ପହଁଚିଛି । ଆସନ୍ତା ଦିନରେ ଏହା ବାହାର ରାଜ୍ୟକୁ ଯିବ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଆପଣ ମାନଙ୍କ ଭଳି ଶିଳ୍ପୀ ସୁରଟ ବନାଇଲେ । ଆଜି ତାରିଖରେ ଓଡିଆ ଯୁବକମାନେ ବମ୍ବେ ଦିଲୀ ଛାଡିଦେଲେ ବଡବଡିଆଙ୍କ ଘରେ ପାଣି ଓ ବିଜୁଳି ବଲବ ବନ୍ଦ ହୋଇଯିବ । ଓଡିଶାର କୋଇଲା ଉତ୍ପାଦନ ନହେଲେ ଅଧା ଦେଶ ଅନ୍ଧାରରେ ରହିଯିବ । ଓଡିଶାର ଚାଉଳ ମାଙ୍ଗାଲୋର ଦେଇ ସାଉଦିଆରବକୁ ଯାଉଛି । ଓଡିଶା ସବୁକ୍ଷେତ୍ରରେ ପୃଥବୀର ଅନନ୍ୟ ପେଣ୍ଠସ୍ଥଳୀ ହେବ । ଓଡିଶାକୁ ନୂଆକରି ବନାଇବା ପାଇଁ ସମୟ ଆସିଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ହର୍ଷ ସଙ୍ଘବୀ, ବିଧାୟକ, ପ୍ରସିଦ୍ଧ ଓଲିଉଡ୍ କଳାକାର ଶ୍ରୀମତି ଅପରାଜିତା ମହାନ୍ତି, ଶ୍ରୀ ମିହିର ଦାସ୍, ଶ୍ରୀ ଶ୍ରୀତମ ଦାସ୍, ଶ୍ରୀ ହରିହର ମହାପାତ୍ର, ଶ୍ରୀମତି ପିଙ୍କି ପ୍ରଧାନ, ସଂଗୀତ ନିର୍ଦ୍ଦେଶକ ଶ୍ରୀ ମନ୍ମଥ ମିଶ୍ର, ଗିତୀକାର ପଚାଂନନ ନାୟକ ଏବଂ ସମାଜସେବୀ ସୁରମା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।
ଓଡ଼ିଆ ସମାଜର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ ଏହି ଅବସରରେ କହିଥିଲେ ଯେ, ସୁରଟବାସୀଙ୍କ ଏପରି ଉତ୍ସାହ ଦେଖି ଆମେ ନିଜକୁ ବେଶ୍ ଗୌରବାନ୍ୱିତ ମନେ କରୁଛୁ । ଏହି ଦୁଇ ଦିନିଆ ଓଡ଼ିଶା ପର୍ବରେ ଲକ୍ଷାଧିକ ଦର୍ଶକଙ୍କ ଉପସ୍ଥିତି ଆମର ଏହି ଉତ୍ସବକୁ ସାଫଲ୍ୟମଣ୍ଡିତ କରିପାରିଛି । ନୂଆଦିଲ୍ଲୀଠାରେ ଓଡ଼ିଶା ପର୍ବର ଦୁଇଟି ସଂସ୍କରଣର ଅଦ୍ଭୂତପୂର୍ବ ସଫଳତା ପରେ ଆମେ ସୁରଟଠାରେ ଆହୁରି ଅଧିକା ଅନୁଭୂତି ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଥିଲୁ ଏବଂ ଏହି ବିଶାଳ ଜନସମାଗମ ହେଉଛି ଆମ କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତାର ପରିଚାୟକ । ଏହି ପର୍ବ ମାଧ୍ୟମରେ ଆମେ ଓଡ଼ିଶାର ଗୌରବମୟ ସଂସ୍କୃତି ଓ ଐତିହ୍ୟକୁ ପ୍ରଦର୍ଶିତ କରିଛୁ । ଗୁଜୁରାଟବାସୀ ଏହି ଓଡ଼ିଆ ସଂସ୍କୃତି, ଐତିହ୍ୟ ସଂସ୍ପର୍ଶରେ ଆସିବା ସହ ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ଉଠାଇ ପାରିଥିବାରୁ ଆମେ ବେଶ୍ ସନ୍ତୋଷଲାଭ କରିଛୁ । ଏହି ଦୁଇ ଦିନରେ ଓଡ଼ିଶାର ଲୋକନୃତ୍ୟ ତଥା ସଙ୍ଗୀତ ଭିତିକ କାର୍ଯ୍ୟକ୍ରମ ସୁରଟବାସୀଙ୍କ ମନକୁ ବେଶ୍ ଛୁଇଁପାରିଛି ।
ଦ୍ୱିତୀୟ ଦିବସର ମୁଖ୍ୟାଂଶ:
ଓଡ଼ିଶା ପର୍ବର ଦ୍ୱିତୀୟ ଦିନରେ ପ୍ରତିଷ୍ଠିତ ଓଡ଼ିଆ କଳାକାର ଅଭିଜିତ୍ ମଜୁମଦାର, ବାବୁ ପାଣିଗ୍ରାହୀ ଏବଂ ସୋହିନୀ ମିଶ୍ରଙ୍କ ଲାଇଭ୍ ସଙ୍ଗୀତ ପରିବେଷଣ ଥିଲା ସନ୍ଧ୍ୟାର ବିଶେଷ ଆକର୍ଷଣ । ଏତଦ୍ବ୍ୟତୀତ ଗଞ୍ଜାମର ଭାରତ ଲୀଲାଙ୍କ ଦ୍ୱାରା ପ୍ରସ୍ତୁତ ଗାହାଣ, ପଶୁମୁଖା ନୃତ୍ୟ, ବଣ୍ଡାନୃତ୍ୟ, ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓ ଗୁଜୁରାଟର ଗର୍ବା ନୃତ୍ୟର ଫ୍ୟୁଜନ୍ ଉପସ୍ଥିତ ଜନତାଙ୍କ ମନ ମୋହି ପାରିଥିଲା । ଅନ୍ୟ ଓଡ଼ିଶାର ଏକ ଅନ୍ୟତମ ଲୋକନୃତ୍ୟ ସମ୍ବଲପୁରୀ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା । ପାଇକ ନୃତ୍ୟାଭିନୟ, ଭଞ୍ଜନଗରର ମଙ୍ଗଳାଘାଟ ନୃତ୍ୟ ମଧ୍ୟ ଅନ୍ୟତମ ଆକର୍ଷଣ ହୋଇ ପାରିଥିଲା ।
ସୁରଟଠାରେ ଅନୁଷ୍ଠିତ ଓଡ଼ିଶା ପର୍ବରେ ବାଲୁକା ଶିଳ୍ପ, ଜଗନ୍ନାଥ ଭୋଗ, ଓଡ଼ିଆ ପାରମ୍ପରିକ ଖାଦ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ ଏବଂ ୩ଡି ଚଳଚ୍ଚିତ୍ର ‘ଇଣ୍ଡୋମିଟେବୁଲ ସ୍ପିରିଟ୍ ଅଫ୍ ଓଡ଼ିଶା’ ପ୍ରମୁଖ ଥିଲା ସ୍ୱତନ୍ତ୍ର ଆକର୍ଷଣ । ସମଗ୍ର ସୁରଟବାସୀ ଏହି ଦୁଇ ଦିନିଆ ଓଡ଼ିଶା ପର୍ବର ଭରପୂର ମଜା ଉଠାଇଥିଲେ ।
ସୁରଟଠାରେ ଅନୁଷ୍ଠିତ ଓଡ଼ିଶା ପର୍ବ ପ୍ରାୟ ୧ ଲକ୍ଷ ୨୬ହଜାର ବର୍ଗଫୁଟ ବ୍ୟାପୀ ଅଂଚଳରେ ଆୟୋଜନ କରାଯାଇଥିଲା ; ଯେଉଁଠାରେ ଓଡ଼ିଶାର ଗରିମାମୟ ଐତିହ୍ୟକୁ ପ୍ରଦର୍ଶନ କରାଯାଇଥିଲା । ଏହାର ପ୍ରବେଶ ପଥ ଟିକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଶୈଳୀରେ ନିର୍ମାଣ କରାଯାଇଥିଲା, ଯାହା କି ଅଦ୍ୟମ ଓଡ଼ିଆବାସୀଙ୍କ ଭାବାବେଗର ପରିଚୟ ପ୍ରଦାନ କରୁଥିଲା । ଏଠାରେ ନିର୍ମାଣ କରାଯାଇଥିବା ବିଶାଳ ମଂଚ ଓଡ଼ିଶାର ଅତୁଳନୀୟ ବୀରତ୍ୱର ଗାଥା ବହନ କରୁଥିଲା । ‘ନ ତିଅଣ ଛ ଭଜା’ ଆଧାରରେ ନିର୍ମିତ ଖାଦ୍ୟଷ୍ଟଲଗୁଡ଼ିକ ଓଡ଼ିଆ ଓଡ଼ିଆ ମହକୁଥିଲା ।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...