National/International

ସର୍ଜିକାଲ ଷ୍ଟ୍ରାଇକରେ ବାଘ ପରିଶ୍ରା କାହିଁକି ବ୍ୟବହାର ହୋଇଥିଲା,ଜାଣନ୍ତୁ

  •  
  •  
  •  
  •  
  •  
  •  
  •  

ପୁନେ : ୨୦୧୬ରେ ପାକିସ୍ତାନ ବିପକ୍ଷରେ ଭାରତୀୟ ସେନା କରିଥିବା ସର୍ଜିକାଲ ଷ୍ଟ୍ରାଇକ୍ ସଂପର୍କରେ ଏକ ରୋଚକ ତଥ୍ୟ ଏବେ ସାମ୍ନାକୁ ଆସିଛି । ସର୍ଜିକାଲ ଷ୍ଟ୍ରାଇକ୍ ଏକ ଯୋଜନାବଦ୍ଧ କାର୍ଯକ୍ରମ ଥିଲା । ଏଥିପାଇଁ ଭାରତୀୟ ସେନା ବିଭିନ୍ନ ଦିଗକୁ ଗୁରୁତ୍ୱର ସହ ଚିନ୍ତାକୁ ନେଇଥିଲା । ଯେଉଁ ଅଂଚଳରେ ସର୍ଜିକାଲ ଷ୍ଟ୍ରାଇକ ହେବ ତାହାର ଭୌଗୋଳିକ ସ୍ଥିତି, ସୀମାନ୍ତବର୍ତ୍ତୀ ଜଙ୍ଗଲୀ ଇଲାକାରେ ରହୁଥିବା ଜନ୍ତୁ ଏବଂ ଅନ୍ୟ କେତେକ ଦିଗପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା । ସେନା ଏ ସବୁର ଅନୁଧ୍ୟାନ କରୁଥିବା ବେଳେ ଏକ ମଜାଦାର ତଥ୍ୟ ପାଇଥିଲେ । ସେହି ତଥ୍ୟ ଆଧାରରେ ସେନା ଚିତ୍ତାବାଘର ପରିଶ୍ରାକୁ ବ୍ୟବହାର କରିଥିଲେ । ସର୍ଜିକାଲ ଷ୍ଟ୍ରାଇକରେ ଚିତ୍ତାବାଘର ପରିଶ୍ରାର କାମ କ’ଣ ଏ ନେଇ ଯେକେହି ପ୍ରଶ୍ନ କରିପାରେ । କିନ୍ତୁ ପ୍ରତିରକ୍ଷା କ୍ଷେତ୍ରରେ ପ୍ରତ୍ୟେକଟି ଦିଗ ଏପରିକି ଏକ ଅତି ଛୋଟ ଓ ସାଧାରଣ କଥା ମଧ୍ୟ ଗୁରୁତ୍ୱବହନ କରିଥାଏ । ଭାରତୀୟ ଯବାନମାନେ ଯେଉଁ ବାଟ ଦେଇ ପାକ୍ ଅଂଚଳରେ ପ୍ରବେଶ କରିବାର ଥିଲା, ସେହି ଅଂଚଳରେ ଭୟଙ୍କର ଜଙ୍ଗଲି କୁକୁର ରହନ୍ତି । ଅନେକ ସମୟରେ ଜଙ୍ଗଲରେ ବଲୁଥିବା ଚିତ୍ତାବାଘମାନେ ଏହି କୁକୁରମାନଙ୍କ ହାବୁଡରେ ପଡିଥାନ୍ତି । କୁକୁରମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ସିଂହ ସେମାନଙ୍କ ଉପରକୁ ପରିଶ୍ରା କରିଥାଏ । ଏହି ପରିଶ୍ରା ପଡିବା ମାତ୍ରେ କୁକୁରମାନେ ପଳାଇଥାନ୍ତି । ଏକଥା ଯବାନମାନେ ସ୍ଥାନୀୟ ଲୋକମାନଙ୍କଠାରୁ ଜାଣିବା ପରେ ଅଭିଯାନ ବେଳେ କୁକୁରମାନଙ୍କ ସମ୍ଭାବ୍ୟ ଆକ୍ରମଣର ମୁକାବିଲା ପାଇଁ ବାଘ ପରିଶ୍ରା ସଂଗ୍ରହ କରିଥିଲେ । ତାହାକୁ ସେମାନେ ଅଭିଯାନ ବେଳେ ବ୍ୟବହାର କରି ସଫଳ ମଧ୍ୟ ହୋଇଥିଲେ । ଏହି ସର୍ଜିକାଲଷ୍ଟ୍ରାଇକରେ ଭାଗ ନେଇଥିବା ନାଗ୍ରୋଟା କ୍ରପସ୍ କମାଣ୍ଡର ଲେଫ୍ଟଲାଣ୍ଟ ଜେନେରାର ରାଜେନ୍ଦ୍ର ନିମ୍ବୋରକର ଏଭଳି ରୋଚକ ତଥ୍ୟ ପ୍ରକାଶ କରିଛନ୍ତି । ମଙ୍ଗଳବାର ତାଙ୍କୁ ଏଠାରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତର ଦେବା ଅବସରରେ ସର୍ଜିକାଲ ଷ୍ଟ୍ରାଇକର ପଛରେ ରହିଥିବା କେତେକ ମଜାଦାର ଓ ରୋଚକ ତଥ୍ୟ ପ୍ରକାଶ କରି କହିଥିଲେ ଯେ, ସୀମାନ୍ତବର୍ତ୍ତୀ ଜଙ୍ଗଲ ଅଂଚଳରେ ଭୟଙ୍କର କୁକୁର ଥିବା ଆମେ ସ୍ଥାନୀୟ ଲୋକଙ୍କଠୁ ଜାଣିଥିଲୁ । ସେମାନଙ୍କ କବଳରୁ ରକ୍ଷା ପାଇବା ଅତ୍ୟନ୍ତ କଷ୍ଟକର । କାରଣ ସେମାନେ ଯେତିକି ବଳଶାଳୀ ସେତିକି ଦୁର୍ଦ୍ଧଶ ମଧ୍ୟ । ସେମାନଙ୍କର କବଳରୁ କିପରି ରକ୍ଷା ମିଳିବ ସେ ନେଇ ପୁରୁଖା ଲୋକଙ୍କୁ ପଚାରି ବୁଝିଥିଲୁ, ସେମାନେ ବାଘ ପରିଶ୍ରା କଥା କହିଥିଲେ । ତଦନୁସାରେ ଯବାନମାନେ ସର୍ଜିକାଲ ଷ୍ଟ୍ରାଇକ ବେଳେ ସାଙ୍ଗରେ ବାଘ ପରିଶ୍ରା ନେଇ ଯାଇଥିଲେ । ତାହା ଠିକ୍ ଭାବରେ କାମ ମଧ୍ୟ ଦେଲା ବୋଲି ନିମ୍ବୋରକର କହିଥିଲେ ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...