ପିଲାମାନେ ଅଧିକ ସମୟ ଧରି ଅନ୍ଲାଇନ୍ ଗେମ୍ ଖେଳୁଥିଲେ ସେମାନଙ୍କ ସ୍ବାସ୍ଥ୍ୟ ତଥା ଆତ୍ମସୁରକ୍ଷା ଲାଗି ଅଭିଭାବକମାନଙ୍କୁ କେତୋଟି ଦିଗ ପ୍ରତି ସଚେତନ ହେବା ଆବଶ୍ୟକ…
ସର୍ବପ୍ରଥମେ ପିଲାମାନେ ଇଣ୍ଟରନେଟ୍ର କିଭଳି ବ୍ୟବହାର କରୁଛନ୍ତି ତଦାରଖ କରନ୍ତୁ। ଅନ୍ଲାଇନ୍ରେ କେଉଁ ଗେମ୍ କେତେ ସମୟ ପର୍ଯ୍ୟନ୍ତ ଖେଳୁଛନ୍ତି ତାହା ଦେଖନ୍ତୁ। ଗେମ୍ର ରୁଲ୍ ଆଣ୍ଡ ରେଗୁଲେଶନ ପଢିନିଅନ୍ତୁ। ଅଧିକାଂଶ ପିଲା ସ୍କୋର ବୋର୍ଡ ବଢାଇବା ଲାଗି ଅନ୍ଲାଇନ୍ରେ ହିଁ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ କମ୍ପିଟିଶନ କରିଥାନ୍ତି। ଯଦି ଆପଣଙ୍କ ପିଲା ଏପରି କରୁଥାନ୍ତି, ତେବେ ପ୍ରତିଦ୍ୱନ୍ଦ୍ୱୀଙ୍କ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରନ୍ତୁ। ଯଦି କୌଣସି ପ୍ରକାର ସନ୍ଦେହ ଉପୁଜୁଛି, ତେବେ ପିଲାଙ୍କୁ ଯଥାଶୀଘ୍ର ସେଥିରୁ ମୁକୁଳାନ୍ତୁ। ପିଲାଙ୍କ ଆଗ୍ରହ ନ ଭାଙ୍ଗିବା ଲାଗି ଆପଣ ଚାହିଁଲେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ମଧ୍ୟ ଖେଳିପାରିବେ।
ପିଲାମାନେ ମୋବାଇଲ ହେଉ ଅବା ଲାପ୍ଟପ୍, କମ୍ପ୍ୟୁଟର ଇତ୍ୟାଦିରେ ଯେଉଁ ଗେମ୍ ଖେଳୁଛନ୍ତି ତାହା ସେମାନଙ୍କ ସୋସିଆଲ୍ ସାଇଟ୍ ସହିତ ଲିଙ୍କ୍ ଅଛିକି ନାହିଁ ଦେଖନ୍ତୁ। କାରଣ ବର୍ତ୍ତମାନ ସୋସିଆଲ ସାଇଟ୍ରେ ଗେମ୍ ଖେଳି ପିଲାଙ୍କ ଆକାଉଣ୍ଟ ହ୍ୟାକ୍ କରି ବିଭିନ୍ନ ଅସାମାଜିକ କାର୍ଯ୍ୟ କରିବା କିମ୍ବା ପିଲାଙ୍କୁ ଅସୁବିଧାରେ ପକାଇବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳୁଛି।
ପ୍ୟାରେଣ୍ଟିଂ କଣ୍ଟ୍ରୋଲ ଜରିଆରେ ମଧ୍ୟ ଆପଣ ପିଲାଙ୍କ ଅନ୍ଲାଇନ୍ ଗେମ୍ ଖେଳିବାର ସମୟସୀମା କମାଇପାରିବେ। ଏହାର ଅର୍ଥ ଆପଣ ପିଲା ଖେଳୁଥିବା ସିଷ୍ଟମ୍ରେ ଏକ ଆକାଉଣ୍ଟ ଖୋଲି ଗେମ୍ର ଟାଇମ୍ ଲିମିଟ୍ ସେଟ୍ କରନ୍ତୁ। ଏହାଦ୍ୱାରା ପିଲା ଖେଳିବା ସମୟରେ ନିର୍ଦ୍ଧାରିତ ସମୟ ପୂରା ହେବା ପୂର୍ବରୁ ଏକ ଓ୍ବାର୍ନିଂ ଆସିଥାଏ ଏବଂ କିଛି ସମୟ ମଧ୍ୟରେ ସିଷ୍ଟମ ବନ୍ଦ ହୋଇଯାଇଥାଏ, ଯାହାକି ଆପଣ ଆକାଉଣ୍ଟର ପାସ୍ଓ୍ବାର୍ଡ ନ ଦେବା ଯାଏ ଖୋଲି ନ ଥାଏ।