ହାସ୍ୟାଭିନେତା କପିଲ ଶର୍ମା ଶନିବାର ତୃତୀୟଥର ଲାଗି ଓ୍ବେଡିଂ ରିସେପ୍ସନ୍ ପାଳନ କରିଛନ୍ତି। ଡିସେମ୍ବରରେ ସେ ତାଙ୍କ ଦୀର୍ଘଦିନର ବାନ୍ଧବୀ ଗିନି ଚତ୍ରଥଙ୍କୁ ବିବାହ କରିଥିଲେ। ଦିଲ୍ଲୀରେ ଅନୁଷ୍ଠିତ ରିସେପ୍ସନ ଉତ୍ସବରେ ଯୋଗଦେଇଥିଲେ ଯୁବରାଜ ସିଂ, ସୁରେଶ ରାଇନା, ମାଇକା ସିଂ, ଦଲେର ମେହେନ୍ଦୀ ଏବଂ ସୋହେଲ୍ ଖାନ୍ଙ୍କ ସମେତ ଅନେକ ଅତିଥି। ନବ ବିବାହିତ ଦମ୍ପତି ସୁଶୋଭିତ ଢଙ୍ଗରେ ସଜେଇ ହୋଇଥିବା ଦେଖିବାକୁ ମିଳିଥିଲା। କପିଲ ଏକ ନୀଳ ବନ୍ଧଗଳା, ଧଳା ଟ୍ରାଉଜର ପରିଧାନ ସହ କାନ୍ଧରେ ଶାଲ୍ ପକାଇଥିବା ବେଳେ ପତ୍ନୀ ଗିନି ଏକ ନୀଳ ଅନାରକଲି ପିନ୍ଧିଥିଲେ। ଅତିଥି ଓ ଆଗନ୍ତୁକଙ୍କ ଆଶୀର୍ବାଦ ଓ କୃତଜ୍ଞତା ଆବଶ୍ୟକ କରୁ ବୋଲି କପିଲ ଉକ୍ତ ଫଟୋ ସହିତ ଟୁଇଟ୍ କରିଥିଲେ। ଡିସେମ୍ବର ୧୨ରେ ପଞ୍ଜାବର ଜଳନ୍ଧରଠାରେ କମେଡି-କିଙ୍ଗ୍ କପିଲଙ୍କର ଗିନିଙ୍କ ସହିତ ହାତଗଣ୍ଠି ପଡିଥିଲା। ଏହାର କିଛି ଦିନ ପରେ ଉକ୍ତ ଦମ୍ପତି ଅମୃତସରଠାରେ ଆତ୍ମୀୟ ଓ ବନ୍ଧୁବାନ୍ଧବଙ୍କ ଲାଗି ଏକ ରିସେପ୍ସନ୍ ପାର୍ଟି ଆୟୋଜନ କରିଥିଲେ। ଡିସେମ୍ବର ୨୪ରେ ମୁମ୍ବାଇରେ ଆୟୋଜିତ ରିସେପ୍ସନ୍ ପାର୍ଟିରେ ବଲିଉଡ୍ ସେଲିବ୍ରିଟିମାନେ ଯୋଗଦେଇଥିଲେ।